Unknown

 

 

 

 

 

 

 

 

 

ଅଭିମନ୍ୟୁବଧ ସୁଆଙ୍ଗ

ଗଣକବି ବୈଷ୍ଣବ ପାଣି

 

[କହ କହ ଏତେବେଳେ କେଣେ ଯାଅ - ବୃତ୍ତେ]

ଶୁଣିମା ସୁଜ୍ଞାନୀ ଭାରତ ଅପୂର୍ବ ରସ ।

ଅଭିମନ୍ୟୁ-ବଧ ପଦା ଯା ରଚିଲେ ବେଦବ୍ୟାସ ।ପଦ।

ଶରତଚନ୍ଦ୍ର ସମାନ,

ଉଜ୍ୱଳିବ ପଦମାନ ।

ତୋଷିବ ହୃଦକୁମୁଦ ପ୍ରଭା କରି ପରକାଶ ।୧।

ଦ୍ରୋଣପର୍ବର କାରଣ,

ଅଭିମନ୍ୟୁର ମରଣ,

ଚକ୍ରବ୍ୟୂହ ରଣସ୍ଥଳେ ଯେମନ୍ତେ ହୋଇଲା ଶେଷ ।୨।

ଗୀତ ଚିତ୍ତେକୁ ମୋହିବ;

ଶ୍ରୁତିକି ହିତ ହୋଇବ,

ଅରସିକେ ହେବ ଅହି ଉଦ୍ଗାରିଲା ପରା ବିଷ ।୩।

ଭୀଷ୍ମନାଶେ କୁରୁପତି,

ଭେବେ ଘେନି ପାତ୍ର ମନ୍ତ୍ରୀ ।

ବେଢ଼ିଛନ୍ତି ରଥିବୃନ୍ଦ ବିପ୍ର ବଇଷ୍ଣବ ଭାଷା ।୪।

 

(ଦୁର୍ଯ୍ୟୋଧନର, ଶକୁନି, କର୍ଣ୍ଣ ଓ ଦ୍ରୋଣର ପ୍ରବେଶ ।
ଦୁର୍ଯ୍ୟୋଧନର ଶକୁନି ପ୍ରତି ଗୀତ)

[ଏ ବୟସେ ତେଜି ଧନ ବିଦେଶ - ବୃତ୍ତେ]

ସରିଲି ସରିଲି ମାମୁ, ସରିଲି ସରିଲି ମୁଁ ।

ବଂଶବୈରୀ ପଣ୍ଡୁସୁତେ ସର୍ବଦା ଡରିଲି ମୁଁ ।ପଦ।

ହରାଇଲି ଜ୍ଞାତିବନ୍ଧୁ,

ଦିନ ଗଲା କାନ୍ଦୁ କାନ୍ଦୁ ।’

ଚକ୍ଷୁଜଳ ଅଞ୍ଚଳେ ଯା’ ଭରିଲି ଭରିଲି ମୁଁ ।୧।

ଶିଶିରେ ପଙ୍କଜ ପରି,

ହୋଇଲା ଦଶା ମୋହରି ।

ଭୀଷ୍ମ ପରାରଥୀ-ଗତି ଦେଖିଣ ଥରିଲି ମୁଁ ।୨।

ବାହୁକୁ ଭରସା କରି,

ଥିଲି ମୁଁ ଗୁରୁ ତୁମ୍ଭରି ।

ଏତେ ଲୋକ ଥଉଁ ଯା’ ମୁଁ ହାରିଲି ହାରିଲି ମୁଁ ।୩।

ଯାଉଅଛି ବନବାସେ,

ଜଣାଅ ପିତାଙ୍କ ପାଶେ ।

ବଇଷ୍ଣବ ଭାଷେ, ଆଝୁଁ ମରିଲି ମୁଁ ।୪।

 

(ଦୁର୍ଯ୍ୟୋଧନର ବଚନିକା)

ଦୁର୍ଯ୍ୟୋଧନ

-

ହେ ଆଚାର୍ଯ୍ୟ, ଶକୁନି ମାତୁଳ, ତୁଳନା ନାହିଁ ଏ ବିପଦର । ବହି ମାନଗୋବିନ୍ଦ ନାମକୁ, ମୁଁ ନ ହେଲି ବଡ଼, ବଡ଼ ହୋଇଲେ ପାଣ୍ଡବେ ? ଜାଣ ଆଝୁଁ ମଲା ଦୁର୍ଯ୍ୟୋଧନ, ଜଣାଗଲା ଭୀଷ୍ମଙ୍କ କୌଶଳ; ଉପ୍ରୋଧ ନ ରଖି ଭୀଷ୍ମ ଧରିଥିଲେ ଧନୁ, ପାଣ୍ଡବଶୂନ୍ୟ ଦଣ୍ଡକେ ହୋଇଥାନ୍ତା ଧାରା । ତୁମ୍ଭେ ଗୁରୁ ଅଟ ସେହିପରି, ପ୍ରିୟଶିଷ୍ୟ ଅର୍ଜୁନ ତୁମ୍ଭର, ରଣକ୍ଷେତ୍ରେ ପଡ଼ିଲେ ସମ୍ମୁଖେ, ଅପତ୍ୟ-ସ୍ନେହ ଜନମେ ହୃଦୟରେ ଆସି; ଜୟ କିମ୍ପା ନୋହିବ ତାଙ୍କର ? ଯାଉଛି ମୁଁ ବୁଲିବି କାନନେ, ନାହିଁ କାର୍ଯ୍ୟ ହସ୍ତିନାର ରାଜସିଂହାସନେ ।

 

(ଦ୍ରୋଣର ଗୀତ)

[ମଲ୍ଲିହାସୀ ଝୁଲି ଆସୁଛି - ବୃତ୍ତେ]

କୁରୁନାଥ ନ ହୁଅ ଏତେ ଆତୁର ହେ ।ପଦ।

ଛୁଇଁଣ ଧନୁର୍ବାଣ କରୁଅଛି ମୁଁ ପଣ,

ଆଜ କରିବି ରଣ,

ସରସେ ହରଷେ ନ କରି ଖାତର ।୧।

ଚାରିଜଣରୁ ଜଣେ,

ବିନାଶିବି ମୁଁ ପ୍ରାଣେ,

ଗଲା ଅର୍ଜୁନ କେଣେ;

ହରିକି ଧରିକି ଚଢ଼ିଣ ରଥର ।୨।

ନାଶିବି ନାରାୟଣୀ

ସେନାଙ୍କୁ ବୀର ମଣି,

ଆସିବ ନାହିଁ ତହିଁ ଜାଣିଥା ଶୁଣିଥା ଏଥକୁ ମାତର ।୩।

ରଚିବି ଚକ୍ରବ୍ୟୂହ;

ବତ୍ସ ତୁ ହୁଅ ଥୟ, ବଇ ବୋଲେ କେ ତାହା;

ଭେଦିବ ଛେଦିବ ପଶି ତା ଭିତର ।୪।

 

(ଶକୁନିର ଗୀତ)

[ମେଲାଣି କର ରେ ନନ୍ଦ - ବୃତ୍ତେ]

ଶୁଣିଲୁ ଭଣଜା, ଏବେ ଆଚାର୍ଯ୍ୟେଙ୍କ ବାଣୀକି ରେ ।

ଜୟ-ବୀଜ ରଣକ୍ଷେତ୍ରେ ବୁଣିବୁ ତୁ ଏଣିକି ରେ ।ପଦ।

ସେନାପତିପଣେ ଦ୍ରୋଣ, ବରଣ କରି ଏକ୍ଷଣେ ।

ବାନ୍ଧ ପାଟ ତୁ ବହନ ଭଣ୍ଡାରୁଶରେ ଆଣିକି ରେ ।୧।

ଦ୍ରୋଣଙ୍କର ଦୃଢ଼ପଣ, ନ ହେବ ରେ ଅକାରଣ ।

ଗୁଣିଜନ ହେଲେ ସିନା ଚିହ୍ନିବ ସେ ଗୁଣିକି ରେ ।୨।

ଭୁରିଶ୍ରବା ଜୟଦ୍ରଥ, କୃପ ଦୁରୀକ୍ଷ ଦୁର୍ଦ୍ଦାନ୍ତ ।

ଦୁଃଶାସନ ଶଲ୍ୟ ତୁଲେ ସାଜ ଯୋଦ୍ଧାଶ୍ରେଣୀକି ରେ ।୩।

ଏକାଦଶ ଅକ୍ଷୌହିଣୀ; ସେନାସହ କୁରୁମଣି !

ନିଜେ ବିଜେ କର ରଣେ ବଇଷ୍ଣବ ଭଣିକି ।୪।

(କର୍ଣ୍ଣର ଗୀତ)

[ଦୂର ଗଗନେ ବସି ତାରାଟିଏ ହସି ହସି - ବୃତ୍ତେ]

ଶଙ୍କା ତେଜ ହେ ସଖା !

ନିଜ କ୍ଷମତା ଦେଖା,

ରକ୍ଷାନାହିଁ ଆଜି ରଣେ ପାଣ୍ଡବଙ୍କର ।

ଅକାରଣେ କିପାଇଁ,

ରହିଛ ଥକା ହୋଇ,

ସାଜ କନ୍ଧେ ଧନୁର୍ବାଣ ଅସ୍ତ୍ର ନକରି ।ପଦ।

ଅସି କଟିରେ କଷି,

ବାନ୍ଧ ହୋଇଣ ଖୁସି,

କଷି ପିନ୍ଧି କାଛଟା ମାରିଣ ହୁଁଙ୍କାର ।

କୁନ୍ତ ଖଡ଼ଗ ଭୂଷଣ୍ଡୀ,

ସର୍ବାଙ୍ଗେ ହୁଅ ମଣ୍ଡି;

ତୁଣ୍ଡେ ଭାଷ ଜୟ ଜୟ ହର ଶଙ୍କର ।୧।

କେଶରୀ ଯେହ୍ନେ ଗଜେ;

ବିନାଶେ ନିଜ ତେଜେ,

ତେସନେ ନାଶିବା ଅରିଯୂଥେ ସତ୍ୱର ।

ରଥୀ ଚଳ ରଥରେ,

ପଦାତିଏ ପଥରେ,

ଆବର ଯିବାକୁ ଯୋଦ୍ଧାବୃନ୍ଦେ ହକାର ।୨।

ଦେଖ କ୍ଷତ୍ରିୟ ତେଜ,

ଆଜ ହେ କୁରୁରାଜ,

ପୂରିବ ମନୋବାସନା ହେଳା ନ କର ।

ଯାଉ ପଛେ ଜୀବନ,

ରହୁ ଜଗତେ ମାନ;

ରସେ ଭାଷେ ବଇଷ୍ଣବ ବିଷ୍ଣୁକିଙ୍କର ।୩।

 

ଦୁର୍ଯ୍ୟୋଧନ

-

ହେ ଆଚାର୍ଯ୍ୟ; ସଖା କର୍ଣ୍ଣ, ଶକୁନି ମାତୁଳ;

 

 

ଆଶ୍ରୟ ମୋହର ଏକା ତୁମ୍ଭ ବାହୁବଳ ।

 

 

ଆଜି ରଣେ ଯେବେ ଗୁରୁ ନ ରଖିବେ ମାନ;

 

 

ନିଶ୍ଚୟ ମାନଗୋବିନ୍ଦ ତେଜିବ ଜୀବନ ।

 

 

ଅନ୍ଧ ପିତାମାତାଙ୍କୁ ସମର୍ପି ତୁମ୍ଭ କରେ

 

 

ମରିବି ବୁଡ଼ି ମୁଁ ଯାଇ ଯମୁନାର ନୀରେ ।

 

 

ହେ ଗୁରୁ ଧରି କହୁଛି ତୁମ୍ଭରି ଚରଣେ;

 

 

ଉପ୍ରୋଧ ରଖିଣ କେଭେ ନ କରିବ ରଣ ।

 

(ସମସ୍ତଙ୍କର ପ୍ରସ୍ଥାନ)

 

(ଯୁଧିଷ୍ଠିର ଓ ଭୀମର ପ୍ରବେଶ । ଯୁଧିଷ୍ଠିରର ଗୀତ)

[କାହିଁପାଇଁ ଭାଇ ମସ୍ତକ ନୁଆଇଁ-ବୃତ୍ତେ]

 

ଏ କି ଜୟରୋଳ ଶୁଭେ ବେଳୁବେଳ କୌରବ ବଳରେ ।

ଶୁଣି ସେହି ଗୋଳ ବହେ ଶ୍ରମଝାଳ ପାଉନାହିଁ ଥଳ ରେ ।ପଦ।

ଶୁଣ ରେ ପାବନି, ପୁଣି ସେହି ଧ୍ୱନି ଶ୍ରୁତି, ଯୁଗଳରେ ।

ଜଣାଯାଉଅଛି ଆଜି ନିଶ୍ଚେଁ କିଛି ଫଳିବ କୁଫଳ ରେ ।୧।

ନାହିଁ ବୋଲି ପାର୍ଥ ହେଲା ଏ ଅନର୍ଥ ଭ୍ରାତ ଆମ୍ଭ ମେଳରେ ।

ପାଞ୍ଚି ସେହି କଥା ଦ୍ରୋଣ ମହାରଥା କରିଛି କୌଶଳ ରେ ।୨।

ବାର ବାର ହାରି ଛାଡ଼ନ୍ତି କୌରବେ ଜୟ କୋଳାହଳ ରେ ।

ବଇଷ୍ଣବ ଗିର କହ ପ୍ରତିକାର ବହେ ଶ୍ରମଝାଳ ରେ ।୩।

 

 

 

(ଭୀମର ଗୀତ)

[କେ ରଷା କରିବ ଆଜ ଚାଣ୍ଡାଳୀ ମୋ କରୁ-ବୃତ୍ତେ]

 

ଶେସ୍ତଧର ବ୍ୟସ୍ତ ଆଉ କାହିଁକି ହେଉଛ ଭାଇ !

ପ୍ରତିଜ୍ଞା କରିଛି ଯାହା ତାହା କି ମନରେ ନାହିଁ ।ପଦ।

ଦୁର୍ଯ୍ୟୋଧନ ଶତେଭ୍ରାତ,

ରଣେ କରିବି ନିହତ;

କୁରୁସଭା ତଳେ ପରା କହିଅଛି ଗଦା ଛୁଇଁ ।୧।

ଯେହ୍ନେ କରୀ ପଦ୍ମବନ,

କରରେ କରେ ଦଳନ,

ତେସନ ଦଳିବି କୁରୁବଳ ମଧ୍ୟେ ପଶି ମୁହିଁ ।୨।

ରଥେ ରଥ ଗଜେ ଗଜ,

ପିଟ ନାଶିବି ଅଗ୍ରଜ;

ରଣେ ସଜ ହୁଅ ଦ୍ୱିଜ ବଇଷ୍ଣବ ରସେ କହି ।୩।

 

(ଦୂତ ଗୀତ ଗାଇ ଗାଇ ପ୍ରବେଶ)

[ଛାଡ଼ି ଚାଲ ପରବାସକୁ - ବୃତ୍ତେ]

 

ଏବେ ଶୁଣିମା ମଣିମା ଗୁହାରି ହେ ବୀରେ ମୋହରି ।

କଉରବକୁଳ ଗଉରବ ଶତେଗୁଣେ ବଢ଼ିଅଛି ଆହୁରି ହେ ।ପଦ।

ଆଜି ଦ୍ରୋଣାଚାର୍ଯ୍ୟ ଆଶ୍ଚର୍ଯ୍ୟଭାବରେ କଲେ ଚକ୍ରବ୍ୟୂହ ତିଆରି ।

ସପ୍ତରଥୀ ସାତଦ୍ୱାରେ ରଖାଇଲେ ସିନ୍ଧୁରାଜ ତହିଁ ଦୁଆରୀ ହେ ।୧।

ନାହିଁ ଅରଜୁନ ଜାଣି ଗରଜନ କଲେ ଜଣେ ଜଣେ ବାହାରି ।

ମାରୁଛନ୍ତି ଡିଆଁ ହୋଇ ଊର୍ଦ୍ଧ୍ଵମୁହାଁ କି ରଙ୍ଗେ ଛାଡ଼ନ୍ତି ତିହିରି ।୨।

ପଣ ପଣ ରଣଦକ୍ଷ ବୀରଗଣ ଯେ ଯାହା ଅସ୍ତ୍ରଶସ୍ତ୍ର ଧରି ।

ଗଦା ମୁଦୁଗର ଛେଲ କୁନ୍ତ ଶର ଭୂଷଣ୍ଡୀ ଶାବେଳି ତୋମରି ହେ ।୩।

ଏଥକୁ ଉପାୟ କର ଧର୍ମରାୟ ଥୟ ନ ରହିବ କାହାରି ।

ବଇଷ୍ଣବ କହେ ଦେଖି ଆସି ଭୟେ ଅଙ୍ଗଲୋମ ଉଠେ ଶିହଃରି ହେ ।୪।

 

(ଯୁଧିଷ୍ଠିରର ଗୀତ)

[ଜଗଜ୍ଜନପାଳନ ଜଗତଉଦ୍ଧାରଣ-ବୃତ୍ତେ]

 

ଭାଇ ବୃକୋଦର କହ ପ୍ରତିକାର ଚକ୍ରବ୍ୟୂହ କେ ଭେଦିବ ।

ନ ଦିଶଇ ବୁଦ୍ଧି ନଦୀ-ବୃଦ୍ଧି ନୀରେ କେ ବାଲିବନ୍ଧ ବାନ୍ଧିବ ।ପଦ।

ଥିଲେ ପାର୍ଥ ଏକା ନ ହୁଅନ୍ତା ଶଙ୍କା ଯାଇଛି ଘେନି ମାଧବ ।

ନାଶି ନାରାୟଣୀ ସେନା ବୀରମଣି ଆସି ମୋ ପଦ ବନ୍ଦିବ ।୧।

ବିପଦସାଗରେ ପାର ହେବି ବୋଲି ନ ମିଳଇ ଖଣ୍ଡେ ନାବ ।

ଆଜି ରଣେ ଜୟୀ ନ ହେଲେ ବିଜୟୀ ଫେରିଣ ଶେଷେ ନିନ୍ଦିବ ।୨।

ବନ୍ଦିଜନ ପରା ଧନ୍ଦି ହୁଏ ହୃଦ ଜାଣନ୍ତି ଦୀନବାନ୍ଧବ ।

କଳିକ କେ ତାହା ନାହିଁ କେହି ସାହା ଆହା ବୋଲିଣ କାନ୍ଦିବ ।୩।

ହସିବେ ଜଗତ ଜନ ଅବିରତ ଯେବେ ହେବ ପରାଭବ ।

ପୂର୍ବଦିଗୁଁ ଭାଗ୍ୟଭାନୁ କି ଉଇଁବ ରସେ ଭାଷେ ବଇଷ୍ଣବ ।୪।

 

(ଅଭିମନ୍ୟୁର ପ୍ରବେଶ ଗୀତ)

[ହ୍ରିଦୟ ରାସ ମନ୍ଦିରେ-ବୃତ୍ତେ]

 

ବିରସ ଦିଶୁଛ ପିତା ନାହିଁ ତ ମୁଖେ ହରଷ ।

କେବଣ କାରଣେ ଦୁଃଖ ଶୁଖିଛି ମୁଖସାରସ ।ପଦ।

ତୁମ୍ଭଙ୍କୁ ଦେବାକୁ ଦଶା, ଜନମିଛି କେ ଏ ରସା ।

ଭୁଜଙ୍ଗ ବିଳେ ଭୁଜକୁ ଭରିବ ଏଡେ ସହାସ ।୧।

ଗନ୍ଧର୍ବ ଚାରଣ ଯକ୍ଷ; ରକ୍ଷ ହୋଇଲେ ବିପକ୍ଷ ।

ଅଭିମନ୍ୟୁ ବାଣ ମୁଖ ତ୍ରାଣ ନ ପାଇବେ ଲେଶ ।୨।

ଜନକ ଯାହାର ପାର୍ଥ; ମାମୁ ଯା’ର ଗୋପୀନାଥ ।

ଧର୍ମ ଯାର ଜ୍ୟେଷ୍ଠତାତ, ତାର ଆଉ ଭୟ କିସ ।୩।

ଭାଷ ତାହା ବେଗ କରି, ଏ କଷ୍ଟୁ କରିବି ପାରି ।

ଦ୍ୱିଜ ବଇଷ୍ଣବ କହି, ମହୀରେ ରହିବ ଯଶ ।୪।

 

(ଭୀମର ଗୀତ)

[ନବାବ ସାହେବ ଚାଲେରୁ ମେତେ - ବୃତ୍ତେ]

 

ମୁହିଁ କି କହିବି ଆରେ ତୋତେ ନନ୍ଦନ ।

ସୁଭଦ୍ରାଦେବୀ ହୃଦୟ-ତଟ-ଚନ୍ଦନ ।ପଦ।

କୌରବ ଗୌରବସୂର୍ଯ୍ୟ ଉଦୟ ହୋଇଣ

ଆଜ; ଜାଳି ଦେଉଅଛି ଚିତ୍ତକାନନ ।୧।

ଗ୍ରାସିଲାଣି ଦୁଃଖରାହୁ;

ସୁଖଚନ୍ଦ୍ରେ ଚାହୁଁ ଚାହୁଁ;

ପଦେ ପଦେ ଆଶା ହୁଏ ରୋଦନ ।୨।

ଆଜି ଅପାଣ୍ଡବ ରସା;

ହେବ ଜାଣିଥା ସହସା;

କେ.କରିବ ଚକ୍ରବ୍ୟୂହ ଭେଦନ ।୩।

ଆମ୍ଭଙ୍କୁ କଲା ପରାସ୍ତ;

ଜଗି ପଥ ଜୟଦ୍ରଥ,

ରଖ ବଇଷ୍ଣବର ନିବେଦନ ।୪।

 

(ଅଭିମନ୍ୟୁର ପ୍ରବୋଧନା ଗୀତ)

[ଆଗୋ ଯମୁନା ଯିବ କେ - ବୃତ୍ତେ]

 

ଆଜ ଚିନ୍ତା ତେଜ ତେଜ ଧର୍ମରାଜ !

ନିଜେ ଭେଦିବି ବ୍ୟୂହ ଜାଣେ ମୁଁ ସେ ଉପାୟ,

ସେହୁ ମୋତେ ଲଗାଇ ସହଜ ।ପଦ।

ପଣ ପଣ ଯୋଦ୍ଧା ରଣେ ପକାଇବି ମାରି ।

ଦ୍ରୋଣର ମୁଣ୍ତ କରିବି

ଖଣ୍ଡ ଖଣ୍ଡ ଦିଅ ଦାସ ଶିରେ ପଦରଜ ।୧।

ଦୁର୍ଯ୍ୟୋଧନେ ବାନ୍ଧି ଆଣି ଦେବି ନାଗଫାଶେ ।

ରଥ ଗଜ ବାଜି, ରଣେ

ଚାଲ ସାଜି ନ ଗଲେ ହୋଇବ ଲୋକେ ଲାଜ ।୨।

ପରାଜିତ କରିବ ପାଣ୍ଡବେ କେଉଁ ଜନ ।

ସେହି କି ନ ଜାଣେ,

ଜିଇ ରହିଛି ପରାଣେ ମହାବୀର ଅର୍ଜୁନ ତନୁଜ ।୩।

ବ୍ୟୂହରୁ ଫେରିବା ମାତ୍ର ନ ଜଣାଇ ମୁହିଁ,

ବଇଷ୍ଣବ କହି ପାରେ ଚାରିଭାଇ,

ଯାଇଁ ମୋତେ ତହିଁ କରିବ ସାହାଯ୍ୟ ।୪।

 

(ଯୁଧିଷ୍ଠିରଙ୍କର ପ୍ରଶ୍ନ)

[କେଡ଼େ ହଟହଟା ମୋତେ କରାଉଛି- ବୃତ୍ତେ]

 

କହ କହ ବତ୍ସ,

ତୋତେ କିଏ ଶିଖାଇଲା ଏମନ୍ତ କାଣ୍ଡ ।ପଦ।

ଦେଖାଇଲା କେବା

ଏମନ୍ତ ଭବିଷ୍ୟ ଚଖାଇଲା କରେ ପୀୟୂଷଖଣ୍ଡ ।

ପାର୍ଥ ବିନୁ ଅନ୍ୟ ଜନ

ନ ଜାଣନ୍ତି ଯାହା ଶୁଣା ନାହିଁ ଭାରତଖଣ୍ଡ ।

ବାଳକ ହୋଇ ୟା ଜାଣିଲୁ

କେମନ୍ତେ ଚିନ୍ତିଲେ ସେ କଥା ଭ୍ରମଇ ମୁଣ୍ଡ ।୧।

ଅସମ୍ଭବ ବାଣୀ କହିବାକୁ

ପୁଣି କି ସହାସେ ତୋର ଫେଇଲା ତୁଣ୍ଡ ।

ମାନିଲେ ମୋ ମନ

ପୋଷିବି ନନ୍ଦନ ଯିବୁ କରେ ଧରି ଶରକୋଦଣ୍ଡ ।୨।

ମହା ମହାରଥୀ ଦ୍ରୋଣ

ମହାମତି ରଣକ୍ଷେତ୍ରେ ଆଣି କରିଛି ରୁଣ୍ଡ ।

 

ବଇଷ୍ଣବ ଭାଷା, ତୁ ଆମ୍ଭ

ଭରସା ପ୍ରାଣ ଘେନି ରଖି ଯିବୁ କି ପିଣ୍ଡ ।୩।

 

(ଅଭିମନ୍ୟୁର ଉତ୍ତର ଗୀତ)

[ହେ କାଶୀବାସୀ ବ୍ରାହ୍ମଣଗଣ ବେଗେ - ବୃତ୍ତେ]

 

ଯେତେବେଳେ ମୁହିଁ ଜନନୀ ଜଠରେ ଥିଲି ଆହେ ଧର୍ମସୂତ !

ଦିନେ ରାଜନୀରେ ପୂଚ୍ଛିଲେ ପିଅରେ ହରସେ ମୋହର ମାତ,

ତାତ ଶୁଣ ହେ ।୧।

ଚକ୍ରବ୍ୟୂହ ଭେଦ ତାର ଛେଦଭେଦ କହନ୍ତେ ପିତା ବୁଝାଇ ।

କହୁଁ କହୁଁ ମାତା ନିଦ୍ରାବିମୋହିତା ହୋଇଣ ପଡ଼ିଲେ ଶୋଇ,

ତାତ ଶୁଣ ହେ ।୨।

ଜାଣି ତାତ ତାହା ନ କହିଲେ ଆଉ ନିଗମ ଉପାୟମାନ ।

ପ୍ରବେଶ ଉପାୟ ଶୁଣିଥିଲା ମାତା ଗରଭେ ଥାଇ ମୋ କାନ,

ତାତ ଶୁଣ ହେ ।୩।

ଯାହା ଜାଣିଥିଲି ଛାମୁରେ କହିଲି ଏଥାକୁ କର ବିଚାର ।

ବଇଷ୍ଣବ ଭାଷ, ହେଲେ ଅବିଶ୍ୱାସ ଜନନୀକି ଯା ପଚାର,

ତାତ ଶୁଣ ହେ ।୪।

 

(ଭୀମର ଗୀତ)

[ଜୟ ପ୍ରତାପୀ ମତ୍ସ୍ୟନରେଶ - ବୃତ୍ତେ]

 

ଯାଅ ଯାଅ ବତ୍ସ ଅଭିମନ୍ୟୁ,

କରେ ଧରି ଗଦା ଖଡ୍ଗ ଧନୁ ।ପଦ।

ତୋ ଯୋଗେ ରହିବ ଆଜି ଆମ୍ଭ କୁଳମାନ;

ଧନ୍ୟ ଧନ୍ୟ ଧନ୍ୟ ତୁ ରେ ଗାଣ୍ଡିବୀନନ୍ଦନ,

ଅଟୁ ପଣ୍ଡୁବଂଶ ବାଳଭାନୁ ।୧।

ଶକ୍ରନାତି ଅତି ବେଗେ ଚକ୍ରବ୍ୟୂହେ ପଶ,

ନକ୍ର ଯେହ୍ନେ ଜଳେ ଜୀବଗଣେ କରେ ନାଶ;

ତେହ୍ନେ ସଂହାର ଗାନ୍ଧାରୀସୂନୁ ।୨।

ତୋର ପଛେ ପଛେ ଆମ୍ଭେ ଯାଇ ଚାରିଭାଇ,

ବ୍ୟୂହ ମଧ୍ୟଭାଗରୁ ଆଣିବୁ ପାଲଟାଇ;

ଭାଙ୍ଗିବି ମୁଁ ଦୁର୍ଯ୍ୟୋଧନ ଜାନୁ ।୩।

ଦୁଃଶାସନ ଭୁଜକୁ ଓପାଡ଼ି ରକ୍ତ ଆଣି,

ଜାଣିଥା ବାନ୍ଧିବି ଆଜି ପାଞ୍ଚାଳୀରେ ବେଣୀ;

ବଇ ବୋଲେ ଭୟ ତେଜୁ ମନୁ ।୪।

 

ଅଭି

-

ଜ୍ୟେଷ୍ଠତାତ; ବିଦାୟ ନେଉଛି ତବ ଚରଣରୁ ଦାସ, କର ଆଶୀର୍ବାଦ ଦେଇ ପଦଧୂଳି ଶିରେ, ହେ ମଧ୍ୟମ-ତାତ ନମେ ଶ୍ରୀପୟରେ, କନିଷ୍ଠ ପିଅରେ ନମି ଯିବି ନିର୍ଭୟରେ ।

 

 

(ସମସ୍ତଙ୍କର ପ୍ରସ୍ଥାନ)

 

(ସୁଭଦ୍ରାର ଗୀତ)

[ଅଖିଳ ଜଗତ ସଖା ପଦ୍ମାବତୀ - ବୃତ୍ତେ]

 

ରେ ଦକ୍ଷିଣାକ୍ଷ, କ୍ଷଣେ କ୍ଷଣେ ଏତେ ନାଚୁଛୁ କାହିଁକି ତୁହି ।

ନାଚି ନାଚି ମାସେ ମାସେ ହେଲା ତୋର ମନସାଧ ପୂରିନାହିଁ ।ପଦ।

ନାରାୟଣୀ ସେନା ନାଶିବେ ଆଜି,

ଗଲେ କାନ୍ତ ରଣବେଶକୁ ସାଜି;

ସେ ନିମନ୍ତେ ଚିତ୍ତେ ଚିନ୍ତା ନାହିଁ ମୋର ସଙ୍ଗେ ଅଛି ଯେଣୁ ଭାଇ ।୧।

ନିତି ନିତି ରଣେ ହେଉଛି ଜୟ,

ଆଉ କାହିଁକି ରେ ନାଚୁଛ କହ;

ପାଞ୍ଚିଛୁ କି ମନେ ଭୀଷ୍ମ ଦଶଦିନେ ଯୁଝି ହେଲେ ଶରଶାୟୀ ।୨।

ଯାହାକୁ ରେ ସାହା ଅଛି ଗୋବିନ୍ଦ,

ତାର କାହିଁ କେବେ ହେବ ରେ ମନ୍ଦ;

ବଇଷ୍ଣବ ବିଷ୍ଣୁପଦ ଅରବିନ୍ଦ ସର୍ବଦା ଚିତ୍ତେ ବାଞ୍ଛାଇ ।୩।

(ଅଭିମନ୍ୟୁ ପ୍ରବେଶ ଗୀତ)

[ଫେରିଯା ଫେରିଯା ଶ୍ୟାମ - ବୃତ୍ତେ]

ଯାଉଛି ଯାଉଛି ମାତ ନ କର ମନା ।

ଆଜି ପାଣ୍ଡବକୁଳେ ଉଡ଼ିବ ବିଜୟବାନା ।ପଦ।

ମୋତେ ସେନାପତିପଣେ, ବିରଛନ୍ତି ଚାରି ଜଣେ ।

ରଣେ ଯିବାପାଇଁ ମନେ କରିଅଛି କାମନା ।୧।

ଶୁଣ ଶୁଣ ରଣସ୍ଥଳେ, ପୂର୍ଣ୍ଣଜୟ କୋଳାହଳେ ।

ଭୟ ତେଜି ଅଭୟ କରନ୍ତି କୌରବ ସେନା ।୨।

ଚକ୍ରବ୍ୟୂହ ଦ୍ରୋଣାଚାର୍ଯ୍ୟ,ନିର୍ଭାକରିଛନ୍ତି ଆଜ ।

କେହି ଭେଦି ନ ଜାଣନ୍ତି ତାହା ପିଅର ବିନା ।୩।

ଜାଣିଛି ମୁଁ ଏକା ତାହା,ଶୁଣିଛି ତୋ ଗର୍ଭେ ଯାହା ।

ବଲଷ୍ଣବ ଗିରି, ହେବ ଦୂର ହୃଦବେଦନା ।୩।

 

(ସୁଭଦ୍ରାର ଗୀତ)

[ମାନକର ଦାନ ଧନ ଗଲା କଥା ଗଲାଣି - ବୃତ୍ତେ]

 

ନ ଛାଡ଼ିବି ରଣେ ତୁ ମୋ ଏକଇର ବଳା ରେ ।

ଯିବୁ ଯେବେ କାଟି ଦେଇଯାଅ ମୋର ଗଳା ରେ ।ପଦ।

ହଳାହଳ ଦିଅ ତୁଣ୍ଡେ ନ କରିଣ ହେଳା ରେ ।

ସହିବ କି ଦେହ ମୋର ଶରକ୍ଷତ ଜ୍ୱାଳା ରେ ।୧।

ମହା ମହାରଥୀ ହେଉଛନ୍ତି ମେଳା ମେଳା ରେ

ଗିରି କାହିଁ ଚୂରି ହେବ ବାଜିଗଲେ ଟେଳା ରେ ।୨।

ରାଜ୍ୟ ଧନେ ନାହିଁ କାର୍ଯ୍ୟ ଗଳେ କରି ମାଳା ରେ ।

ଭିକ୍ଷା ମାଗି ଖୁଆଇବି ତୋତେ ଦୁଇବେଳା ରେ ।୩।

ଜଗିଲି ଏ ବାଟ ଅବଳା ସବଳା ରେ,

କେ ନେବ ମୋ କୋଳୁ ବୋଲେ ବଇଆ ବାତୁଳା ରେ ।୪।

 

(ଅଭିମନ୍ୟୁର ଗୀତ)

[ଗୋକୁଳାନନ୍ଦଚନ୍ଦ୍ରଙ୍କୁ - ବୃତ୍ତେ]

 

କାହିଁକି ରେଦନ ମା’ କରୁଅଛ ଅକାରଣେ ।

ବୀରଧର୍ମରକ୍ଷା ଅର୍ଥେ ଯାଉଅଛି ମୁଁ ତ ରଣେ ।ପଦ।

ହୋଇ ବୀରର ବନିତା, ଭୀରୁ ପରି କହୁ କଥା,

ବୀରସୁତା ବୀରମାତା ବୀରଭଗ୍ନୀ କେ ନ ଜାଣେ ।୧।

ମିଳିଲେ ଶୃଗାଳଯୂଥେ; ଜିଣିବେ କି ବ୍ୟାଘ୍ରସୁତେ;

ରଣେ ଜୟୀ ହୋଇ ଆସି ଭେଟିବି ତୋ ଶ୍ରୀଚରଣେ ।୨।

ପିତା ଯା’ର ବୀର ପାର୍ଥ; ମାମୁ ଯା’ର ଗୋପୀନାଥ,

ଶତଶତ ଦ୍ରୋଣ ହେଲେ ତାକୁ କି ଜିଣିବେ ରଣେ ।୩।

ଶିରା ଶିରା ଉଷ୍ଣ ରକ୍ତ, ହେଉଛି ମୋ ପ୍ରବାହିତ;

ସୁମନେ ମେଲାଣି କର ବିପ୍ର ବଇଷ୍ଣବ ଭଣେ ।୪।

 

[ଭୀମର ପ୍ରବେଶ]

 

ଭୀମ

-

କହ ବତ୍ସ ! ଏତେ ତୋର ବିଳମ୍ୱ କିପାଇଁ ?

ଅଭିମନ୍ୟୁ

-

ମନା କରନ୍ତି ଜନନୀ ରଣେ ଯିବାପାଇଁ ।

ଭୀମ

-

କ୍ଷତ୍ରିୟ ସନ୍ତାନ ରଣେ ଗଲେ କ୍ଷତି କିସ ?

ଅଭିମନ୍ୟୁ

-

କହୁଛନ୍ତି ନେବେ ତୁମ୍ଭେ ନାରୀହତ୍ୟା ଦୋଷ ।

ଭୀମ

-

ଗୋ-ବଧ ନାରୀବଧରେ ଅଛି ଯେତେ ପାପ,

 

 

ସେ ପାପର ଭାଗୀ ମୁହିଁ ହେଲି ଚାଲ ବାପା !

 

(ଅଭିମନ୍ୟୁ ସହ ସମସ୍ତଙ୍କର ପ୍ରସ୍ଥାନ; ଉତ୍ତୀରା ଓ ଚିତ୍ରାବତୀର ପ୍ରବେଶ)

[କହ ସଜନୀରେ କି ହେଲା କାଲି ରାତିରେ - ବୃତ୍ତେ]

 

କହ ଛଇଳା ଗୋ, କେତେ ମାସ ଗଡ଼ିଗଲାଣି ।

ତେଜିଲୁଣି ଦେଖି ମନେହୁଏ ସଖୀ ଆଖର ମାସ ହେଲାଣି ।ପଦ।

ତେଜିଲୁଣି ସଖି ପଲଙ୍କଶୟନ ଭଜିଲୁଣି ମହୀଶୁଆ ।

ତେଜିଲା ପରାୟ ରାଜୀବନୟନା ବସୁ ହୋଇ ତଳମୁହାଁ ।୧।

ମାଜୁନାହୁଁ କିବା କରଜରାଜି ତୁ ସାଜୁନାହୁଁ ବେଣୀ ଶିରେ ।

ଉଠିଲାବେଳକୁ ଲାଜ ଲାଜ ହୋଇ ଉଠୁଥାଉ ଧୀରେ ଧୀରେ ।୨।

ବାରବରଷରେ ବରବରନା ରେ କେ ପାଇଛି କାହିଁ ପୁଅ ?

ଖୋଜିଲେ ନ ମିଳେ କା’କୁ ବୃଦ୍ଧାକାଳେ ଗଡ଼ାଉଣ ଥିଲେ ଲୁହ ।୩।

ନବଯୁବତୀ ତୁ ନୂଆ ପୁଅ କୋଳେ ଧରି ।

ନୂଆ ଆନନ୍ଦରେ ମାତିଥିବୁ ନୂଆ କବିଗୀତ ଗାର କରି ।୪।

 

(ଚିତ୍ରା ପ୍ରତି ଉତ୍ତରାର ଗୀତ)

[କହ କାହିଁକି ମୋଠାରେ ମାନ - ବୃତ୍ତେ]

 

ଏତେ କାହିଁକି ହେଉଛୁ ଲାଜ,

ମୋତେ ସଜନୀ ଆଜ ।ପଦ।

ଯା କରମେ ବିହି ଯାହା ଥାଏ ଲିହି,

ତାହା ଭୋଗିବ ସେ ମନେ ହେଜ ।୧।

ଅନ୍ତର୍ଯ୍ୟାମୀ ବିନା, ଅନ୍ତର ବେଦନା,

କହ ଜାଣିବ କିଏ ସେ ବୋଝ ।୨।

ଯହିଁ ଯେତେ ଦୁଃଖ, ତହିଁ ତେତେ ସୁଖ,

ସେହି କାମନା ମନରୁ ତେଜ ।୩।

କର ଧରୁଅଛି, କହୁନାହୁଁ କିଛି,

ରସେ ଭାସେ ବଇଷ୍ଣବ ଦ୍ୱିଜ ।୪।

 

(ଅଭିମନ୍ୟୁର ପ୍ରବେଶ ଗୀତ)

[ଡେମ୍ଫ ବିନା କି ଫୁଲ ସମ୍ଭାଳି ରହେ - ବୃତ୍ତେ]

 

କରକରଦାନା ରେ କର ମେଲାଣି ।

ମରକତବରନା ବେଳ ହେଲାଣି ।ପଦ।

ଯିବି ସମରେ, ଭାଷ ପ୍ରମରେ,

କାମକଳ୍ପଲତା ରେ ଶୁଣା ତୋ ବାଣୀ ।୧।

ଅରାତିନାଦ, କରତେ ହୃଦ,

ମୀନନୟନା ମନ ଟାଣି ନେଲାଣି ।୨।

କିପାଁ ହରଷ, ମୁଖ ସାରସ,

ଦେଖିଲାବେଳୁ କାଳି ପଡ଼ିଗଲାଣି ।୩।

କରିଛି ପଣ, କରିବ ରଣ,

ପାଣି ଭଣି ମୁଁ ତୋର ଧରୁଛି ପାଣି ।୪।

(ଉତ୍ତରା ଗୀତ)

[କୀର୍ତ୍ତନ ସୁର]

ଯିବ ଯେବେ ଜୀବଧନ ଜୀବନ ନେଇ ଯା ।

ଯୌବନପାସରାରେ ପ୍ରେମର ବଣିଜା ।

ବୋଝ ବୋଇତରେ ହେ ।

ବସାଇ ଭସାଇ ଦିଅ ନୀରେ ହେ ।୧।

ଶିବ ଶିବ ବୋଲି ଛାଡ଼ି ଯିବ ମୋର ଜୀବ ।

ଧବହୀନ ହେଲେ ଜୀବ ଧବପୁର ଯିବ ।

ନେଲେ ସଙ୍ଗତରେ ହେ ।

ନ ନିନ୍ଦିବେ ଜନେ ଜଗତରେ ହେ ।୨।

ନାହାନ୍ତି ଶ୍ୱଶୁର ମୋର ବୀରଶିରୋମଣି ।

ନାରାୟଣ ସଙ୍ଗେ ଯାଇଛନ୍ତି ନାରାୟଣୀ

ସେନା ନାଶିବାକୁ ହେ ।

ବିପଦରେ ଡାକିବା କାହାକୁ ହେ ।୩।

ମହାଭୟଙ୍କର କୁରୁ ସମର ବାରିଧି ।

କୁମ୍ଭୀର ମକର କରୀ ଓଟ ଅଶ୍ୱ ଆଦି,

ଜଳଜୀବ ନାନା ହେ ।

କ୍ରୀଡ଼ନ୍ତି ତହିଁରେ କୁରୁସେନା ହେ ।୪।

ଅଶ୍ୱହ୍ରେଷା ଗରଜନ ପତାକା ଲହରୀ ।

ସୁଉ ସୁଉ ରଣ ଛତ୍ର ତା ଚକ୍ର ଭଉଁରି-

ତହିଁ ପହଁରିବ ହେ ।

କି ସାହସେ ଭାଷେ ବଇଷ୍ଣବ ହେ ।୫।

(ଅଭିମନ୍ୟୁର ଗୀତ)

[ଗୋରୀ ନ ମାର ନ ମାର ଖଣ୍ଡା ରେ-ବୃତ୍ତେ]

ଗୋରୀ ନ କରି ମନ ଖଟା ରେ ।

ମୋତେ ବହନ ରଣେ ପଠା ରେ ।ପଦ।

କହିଣ ମିଠା କଥା ସହି ତୂଟା ମୋ ବ୍ୟଥା ।

କହି ନ ପକା ସଟାବଟା ରେ ।୧।

ଫଟାଉଛି ମହୀ, ଜୟଧ୍ୱନି ଉଠାଇ,

ଦ୍ରୋଣ ଭିଆଇ ବ୍ୟୂହଗୋଟା ରେ ।୨।

ସିଂହର ସୁତ ହୋଇ, ଶୃଗାଳେ ଡରିବଇଁ ।

ସହି ସହିବି ଶତ୍ରୁ ଥଟ୍ଟା ରେ ।୩।

ପୂଜୁଥା ଜଟାଧରେ, ଚିତ୍ତ ରଖି ମୋଠାରେ;

ଭାଷେ ବଇଆ ହଟହଟା ରେ ।୪।

 

(ଉତ୍ତରାରେ ରୋଦନ ଗୀତ)

[କିଏ ଜାଣିବ ରେ ଯୁବତୀମତି-ବୃତ୍ତେ]

 

ପ୍ରାଣିପତି ହେ, ମନ ହେଉନାହିଁ ଧନ ଦେବାକୁ ଛାଡ଼ି ।

ମୀନନୟନରୁ ବନ ବହି ପୀନ ପୟୋଧର ପରେ ପଡ଼ିବ ଝଡ଼ି ।ପଦ।

ହୃଦକାନନରେ ଲାଗିଲେ ନିଆଁ ।

ଯାହା ହୁଏ ମନ ଜାଣେ କେ ତାହା ।

ଆହା କରିବାକୁ ସାହା

ହେବ କିଏ ପିଣ୍ଡ ରଖି ପ୍ରାଣ ମନ ଜାଣେ କେ ତାହା ।

ଆହା କରିବାକୁ ସାହା ହେବ କିଏ ପିଣ୍ଡ ରଖି ପ୍ରାଣ ନେଉଛି କାଢ଼ି ।୧।

ଯେ ନାରୀର ପତି କତିରେ ନାହିଁ,

ସଂସାରେ ବିଅର୍ଥ ଅଟେ ତା ଦେହୀ ।

ଭାବି ସେ ବିରହ କମ୍ପିଉଠେ

ଦେହ ଗିରି ପରି ଲଗେ ପିନ୍ଧିବା ଶାଢ଼ି ।୨।

ଲକ୍ଷେ ଧନ ଥିଲେ ଭଣ୍ଡାରେ ପୂରି ।

ସ୍ୱାମୀଧନେ ସେ କି ହୋଇବ ସରି ।

ନେତ୍ରହୀନ ଆଗେ ଦର୍ପଣ ଥୋଇଲେ

ସେ କାହିଁ ଚାହିଁବ ନୟନ ଫେଡ଼ି ।୩।

ପତି ଯା’ର ଥାଏ ପରବାସରେ ।

କେମନ୍ତେ ସେ ନାରୀ ରହେ ବାସରେ ।

ବଇଷ୍ଣବ ଭଣେ, ଅନୁଭବୀ

ଜାଣେ ଦିନକ ଲାଗଇ ବରଷ ଘଡ଼ି ।୪।

 

(ସାରଥିର ପ୍ରବେଶ ଗୀତ)

[ରଥ ରଖ ପଥେ ବୃତ୍ତେ]

 

ମହାବୀର ଅର୍ଜୁନନନ୍ଦନ ବେଗେ ଆସ ହେ ।

ସାଜି ଆଣିଅଛି ରଥ ତଥିପରେ ବସ ହେ-।ପଦ।

ସିଂହଦରଜାରେ ଥୋଇ ଆସିଲି ଡାକିବା ପାଇଁ

ଚାହିଁ ରହିଛନ୍ତି ଯୋଦ୍ଧାଗଣେ ହୋଇ ବେଶ ହେ ।୧।

ବିଳମ୍ବ ହେଉଛି ବେଳ, ସମରେ ଚଳ ଚଞ୍ଚଳ ।

ମାଳମାଳି କରି କଉରବବଳେ ନାଶ ହେ ।୨।

ଜୟମଙ୍ଗଳ ଉଚ୍ଚାରି, ବହନ ଆସ ବାହାରି ।

ହାରିବେ ଅରିଏ ବିପ୍ର ବଇଷ୍ଣବ ଭାବ ହେ-।୩।

 

 

 

ଅଭିମନ୍ୟୁ

-

ଚଳାଅ ସାରଥେ ରଥ ଚକ୍ରବ୍ୟୂହ ଉତ୍ତର ଦୁଆରେ,

 

 

ଦେଖିବି ଦ୍ରୋଣ କିପରି କରିଛି କୌଶଳ ।

 

 

(ସମସ୍ତଙ୍କର ପ୍ରସ୍ଥାନ)

 

(ଦ୍ରୋଣସହ ସପ୍ତରଥୀଙ୍କର ପ୍ରବେଶ । ଦ୍ରୋଣର ଗୀତ)

[ଜୟ ରଘୁନାଥ ଆରତି - ବୃତ୍ତେ]

 

ଧାଇଁଅଛି ରଣେ ଅର୍ଜୁନନନ୍ଦନ କେଶରୀବିକ୍ରମ ତେଜେ ।

ଉଲ୍‌କା ସମ ଛୁଟେ ତେଜ ଝଟଝଟେ କୋଟିଏ ଆଦିତ୍ୟ ଗୁଞ୍ଜେ ।

ସାବଧାନ ହୋଇ;

ଜୟଦ୍ରଥ ଦ୍ୱାରା ରଖ ତୁହି ।୧।

ଦ୍ୱିତୀୟ ଦୁଆରେ ରହୁ ଦୁଃଶାସନ ତୃତୀୟରେ କର୍ଣ୍ଣ ବୀର ।

ଚତୁର୍ଥରେ କୃପା ପଞ୍ଚମରେ

ଶଲ୍ୟ ଷଷ୍ଠେ ଅଶ୍ୱତ୍‍ଥାମା ମୋର ।

ସପତମେ ମାନ-

ଗୋବିନ୍ଦ ହୋଇଥା ସାବଧାନ ।୨।

ଏହିପରି ସାତଦ୍ୱାର ଜଗିଥିବ ପଳାଇ ନ ଯିବ କେହି ।

ଦେଲେ ଛତ୍ରଭଙ୍ଗ ଅଭିମନ୍ୟୁ କରୁ ପରାଣ ପାଇବ ନାହିଁ ।

ଅଟେ ମହାଯୋଦ୍ଧା;

କ୍ଷଣକେ ମାରି କରିବ ପଦା ।୩।

ବିହୁ ମଧ୍ୟସ୍ଥଳେ ରହିଲହିଁ ମୁହିଁ ନିକଟେ ହେଲାଣି ଆସି ।

ଧର ଶରାସନ ହୁଅ ସାବଧାନ ବିପ୍ର ବଇଷ୍ଣବ ଭାଷି ।

ବୀରପଣ ଦେଖା;

ପଛକୁ ହୋଇ ଯିବଟି ବକା ।୪।

 

(ଅଭିମନ୍ୟୁର ଜୟଦ୍ରଥ ପାଶେ ପ୍ରବେଶ)

 

ଅଭିମନ୍ୟୁ

-

ସିନ୍ଧୁପତି ପଥ ଛାଡ଼ି ଆଡ଼ ହୋଇଯାଅ ।

ଜୟଦ୍ରଥ

-

ବିନା ରଣେ ନ ଛାଡ଼ିବି ତୋତେ ରେ ଅର୍ଜୁନପୁଅ ।।

ଅଭିମନ୍ୟୁ

-

ତୋ ସଙ୍ଗେ ଲଢ଼ିବ ପୁଣି ସବ୍ୟସାଚିସୁତ ?

ଜୟଦ୍ରଥ

-

ଏଡେ କଥା କହୁ କେହ୍ନେ ହୋଇଣ ବାଳୁତ ।।

ଅଭିମନ୍ୟୁ

-

ବାଳକ ନୁହେ ମୁଁ ତୋର କାଳ ଆସିଅଛି ।

ଜୟଦ୍ରଥ

-

ତଇଳଭାଣ୍ଡରେ ଏବେ ପଡ଼ିଲୁଣି ମାଛି ।।

ଅଭିମନ୍ୟୁ

-

ଚିହ୍ନିନାହୁଁ କିଏ ମୁହିଁ କାହାର କୁମର ?

ଜୟଦ୍ରଥ

-

ଅର୍ଜୁନ ବିନୁ ମୋହର ଆନେ ନାହିଁ ଡର ।।

ଅଭିମନ୍ୟୁ

-

ସ୍ମରଣ କରିଲୁ ମୂର୍ଖ ଲବ କୁଶ କଥା ।

ଜୟଦ୍ରଥ

-

ଜାଣେ ପିତାଠାରୁ ବେଶି ପୁତ୍ରର କ୍ଷମତା ।।

ଅଭିମନ୍ୟୁ

-

ତେବେ କିପାଁ କରୁଅଛୁ ବାକ୍ୟ- ଆଡ଼ମ୍ବର ।

ଜୟଦ୍ରଥ

-

ଜଣାଯିବ ରଣେ ଦୁହେଁ ହେଲେ ଅଗ୍ରସର ।।

 

(ଯୁଦ୍ଧେ ଜୟଦ୍ରଥର ପଳାୟନ; ଦୁଃଶାପାଶେ ପ୍ରବେଶ । ଦୁଃଶା ପ୍ରତି ଗୀତ)

[ହେ ରଘୁବୀର ମାର ମାର ନ କର ହେଳା-ବୃତ୍ତେ]

 

କି ଆରେ ଦୁଃଶା ହୋଇଲୁ ଆଜି ମୂଷାପରି ।

ମଞ୍ଜାରି ଆଗରୁ ସତେ ଯିବୁ କି ଉବୁରି ।ପଦ।

ଏ ନୁହେ ଦ୍ରୌପଦୀ କେଶ ।

ଓଟାରି ଫେଡ଼ିବୁ ବାସ ।

ନୁହେ ଏ କପଟପାଶା ଦଶା ଯିବ ଫେରି ।୧।

ନାଶା କର୍ଣ୍ଣ କାଟି ଶରେ।

ଭାସାଇବି ଯମୁନାରେ ।

ଜୀବେ ଆଶା ଥିଲେ ଯାଆ ମୋ ଆଗୁ ବାହାରି ।୨।

ଧନ୍ୟ ତୋ ଗାନ୍ଧାରୀ ମାଆ ।

କେଡ଼େ ଅଦଭୁତ ଏହା ।

କେମନ୍ତେ ସେ ଶୁଏ ଛୁଆ ଥିଲା ପେଟେ ଭରି ।୩।

ନିଶାଖିଆ ପରକାର ।

ନାହିଁ ଲେଶ ଜ୍ଞାନ ତୋର ।

ଛାଡ଼ ପଥ ରଖ ବଇଷ୍ଣବର ଗୁହାରି ।୪।

 

(ଦୁଃଶାସନ ଅଭିମନ୍ୟୁ ପ୍ରତି)

[ହରି ହରି ବୋଲି ହରସେ ରସିକେ-ବୃତ୍ତେ]

 

କୁଆବୁଆ ହେବୁ ଛୁଆଖଣ୍ଡକ ତୁ କେତେ ବଢ଼ି ବଢ଼ି କହୁ ରେ ।

ଦାଣ୍ଡେ ଗଡ଼ି ମୁଣ୍ଡେ କର କଚାଡ଼ିବ ଜାଣିଥା ପୁତୁରା ବେହୁ ରେ ।ପଦ।

ସୁଭଦ୍ରାର ଆଶା-ଭରସା ବୁଡ଼ିବ ଆଜି ନିଶ୍ଚେ ଚାହୁଁ ଚାହୁଁ ରେ ।

ଶାର୍ଦ୍ଦୂଳମେଳରେ ପଡ଼ିଅଛି ଛେଳି ଗିଳିଦେବେ ଟାଉ-ଟାଉ ରେ ।୧।

ଦୁଃଶାସନ କରେ ଶାସନ ହୋଇବୁ ଚନ୍ଦ୍ରେ ଯେହ୍ନେ ଗ୍ରାସେ ରାହୁ ରେ ।

ଅକାରଣେ ଦୁଷ୍ଟ ଲୋଡ଼ିଲୁ ମରଣ ପିଣ୍ଡେ ପ୍ରାଣ ଥାଉଁ ଥାଉଁ ରେ ।୨।

କର ରଣ ପୁଅପଣ ଜଣାଯିବ ଏକ୍ଷଣି ପଡ଼ିଛି ଦାଉ ରେ ।

ଆଉ ବେଳ ନାହିଁ ବଇଷ୍ଣବ କହି ପିଇଯିବ ତୋର ଲହୁ ରେ ।୩।

 

(ଯୁଦ୍ଧ କରୁ କରୁ ଦୁଃଶାସନକୁ ମାଡ଼ିବସିବା)

 

ଦୁର୍ଯ୍ୟୋଧନ

-

ରକ୍ଷାକର ଗୁରୁ, ଦୁଃଶାସନକୁ ରକ୍ଷାକର । (ବେଗେ ଦ୍ରୋଣର ପ୍ରବେଶ)

ଦ୍ରୋଣ

-

ଛାଡ଼ିଦିଅ ଦୁଃଶାସନେ ବୀର !

ଅଭିମନ୍ୟୁ

-

(ଛାଡ଼ିଦେବା) ଭୀମର ପ୍ରତିଜ୍ଞା ତୋତେ ରକ୍ଷାକଲା ଆଜି ।

 

(ଦ୍ରୋଣର ଗୀତ)

[ଏହୁ କାହା ରମଣିମଣି ରତନ - ବୃତ୍ତେ]

 

ରହ ରହ ଗାଣ୍ଡିବୀସୁତ ରହ ରେ ।

କାହିଁକି ପଶିଲୁ ଚକ୍ରବ୍ୟୂହରେ ।ପଦ।

ଏଡ଼େକ ସାହସ ତୋର,

ଏ ଅଟେ କୁରୁସାଗର,

ଠାକି କି ପାରିବୁ ସେହି ସୁଅରେ ।୧।

ନାତୁଣିବୋହୂ ମୋ ରାଣ୍ଡ,

ହୋଇ କୋଡ଼ୁଥିବ ମୁଣ୍ଡ,

ପଣନ୍ତେ ପୋଛିବ ଆଖିଲୁହ ରେ ।୨।

ଦ୍ରୋଣ ବ୍ୟୂହ କରି ଭେଦ,

ଆସିଲୁ ଆରେ ଅବୋଧ,

ନ ଜାଣୁ ପଡ଼ିଲୁ ମୋର ମୁହଁରେ ।୩।

 

ଯିବାପାଇଁ ଯମପୁର,

ପଥ କଲୁ ପରିଷ୍କାର,

ବଇ ବୋଲେ, କ କହିବୁ କହ ରେ ।୪।

 

(ଅଭିମନ୍ୟୁର ଦ୍ରୋଣକୁ ଥଟ୍ଟା)

[ରେ ମନ ସୁଖେ ଚଷ ନିଜ ଚାଷ- ବୃତ୍ତେ]

 

ହେ ଗୁରୁ, ଜୁହାର କରୁଛି ଦୂରୁ ।

ପୂରିଲାଣି କାଳ ସରିଲାଣି ବେଳ ବାଳ ଉଡ଼େ ଫୁରୁଫୁରୁ ହେ ।ଘୋଷା।

ଆଜି କବି କାଲି ଚିତ୍ରଗୁପ୍ତ ଆଗେ ଦେବ କାର୍ଯ୍ୟର ହିସାବ ।

ତେତିକି ବେଳକୁ ନ ଫିଟିବ ପାଟି ଦାନ୍ତ ପଡ଼ିଯିବ ଜାବ ହେ ।୧।

ପିଣ୍ଡ ଦେବାପାଇଁ ଅରଜି ପାଇଛ ଖଣ୍ଡେ ବୋଲି ଜଣା ପୁଅ ।

ନାମ ଅଶ୍ୱତ୍‍ଥାମା କରମକୁ ତାର ହେଲା ପୁଣି ଘୋଡ଼ାମୁହଁ ହେ ।୨।

ହୋଇଣ ବ୍ରାହ୍ମଣ ଧରି ଧନୁର୍ବାଣ କ୍ଷତ୍ରିୟ ବୃତ୍ତି ଆଚରି ।

ଛାଡ଼ିଲ ପୁରାଣ ବଧିଲ ପରାଣ ରଣରେ ନିତି ବିଚାରି ।୩।

ଗାୟତ୍ରୀ ହୋଇଲା ଖୋସାମଦି ଭାଷା ପେଟ ହେଲା ଯଜ୍ଞକୁଣ୍ଡ ।

ପର ଅନ୍ନ ଚରୁ, ବଇଷ୍ଣବ ବୋଲେ, ଅଟେ ତୁମ୍ଭେ ଏଡ଼େ ଭାଣ୍ଡ ହେ ।୪।

 

(ଦ୍ରୋଣର ଦୁର୍ଯ୍ୟୋଧନକୁ ଆଦେଶ)

[କାହା ମନୋହାରୀକି ହରି - ବୃତ୍ତେ]

 

ସହି ନୁହେ କୁରୁମଣି ହେ, ଏହି ବାଳକ-ବାଣୀ !

ଏ ଦୁଷ୍ଟେ ବିନାଶ କଲେ ନାହିଁ ଦୋଷ ଲେଶମାତ୍ର

ସର୍ବେ ଥାଅ ହେ ଶୁଣି ।ପଦ।

ଆରମ୍ଭିବା ଅନ୍ୟାୟରଣ, ଦୁଷ୍ଟ ପ୍ରାଣ କର ହରଣ ।

ନ୍ୟାୟରେ ନିହତ ନୋହିବ ଏ ସୁତ

କିସ କରୁ କରୁ କିସ ହେଲାଣି ।୧।

ଘେନିଯାଅ ସପତ ରଥୀ,

ଚିତ୍ତେ କେହି ନ କର ଭୀତି ।

ଏକାବେଳେ ବାଣ ବିନ୍ଧ ପଣ ପଣ

ଯେସନେ ଶ୍ରାବଣେ ବରଷେ ପାଣି ।୨।

ରଥ ଅଶ୍ୱ ସାରଥି ମୁଣ୍ଡ,

କାଟି କଣ ଖଣ୍ଡବିଖଣ୍ଡ ।

ଆଉ କେତେ ଦଣ୍ଡ ଜିଇଣ

ଦୁର୍ଦ୍ଦଣ୍ଡ ଦେଖାଇବ ଶତ ସିଂହର ଠାଣି ।୩।

 

ଦ୍ୱାର ରଖୁ ସନ୍ଧୁ ନରଶେ,

ନ ରଖିଣ ଜୀବନେ ଆଶ ।

ବଇଷ୍ଣବ ଭାଷେ,

ବ୍ୟୂହ ମଧ୍ୟଦେଶେ ନ ଛାଡ଼ିବ ପଣ୍ତୁ ନାତିକି ପୁଣି ।୪।

 

ଦୁର୍ଯ୍ୟୋଧନ

-

ଯମପୁର ଯିବାପାଇଁ ହୁଅ ରେ ପ୍ରସ୍ତୁତ ।

ଅଭିମନ୍ୟୁ

-

ଜଣାଯିବ ବୀରପଣ ଆରେ ଅନ୍ଧସୁତ ।।

ଦୁର୍ଯ୍ୟୋଧନ

-

ଦେଖିବି ତୋ ଦେହେଁ ଦୁଷ୍ଟ ଅଛି କେତେ ଶକ୍ତି ।

ଅଭିମନ୍ୟୁ

-

ଦେଖୁନାହିଁ ଜଣକୁ ବେଢ଼ିଛ ସପ୍ତରଥୀ ।।

ଦୁର୍ଯ୍ୟୋଧନ

-

ଅନଳରେ ଆସିକରି ପଡ଼ିଲୁ ପତଙ୍ଗ ।

ଅଭିମନ୍ୟୁ

-

ଜଣାଯିବ ପଛେ ଆଗେ ହେଉ ରଣରଙ୍ଗ ।।

 

 

[ଯୁଦ୍ଧ - ସପ୍ତରଥୀଙ୍କ ପରାସ୍ତ ପୁଣି ପ୍ରବେଶ]

ଦୁର୍ଯ୍ୟୋଧନ

-

ପ୍ରହାର ସକଳେ ଅସ୍ତ୍ର କରନାହିଁ ଡେରି ।

ଅଭିମନ୍ୟୁ

-

ଅନନ୍ତ ନରକେ ଦୁଷ୍ଟେ ପଡ଼ି ଯାଇଁକରି ।।

 

 

[ସପ୍ତରଥୀଙ୍କର ପଳାୟନ - ପୁଣି ପ୍ରବେଶ]

କର୍ଣ୍ଣ

-

କି ଦେଖୁଛ ସଖା ସର୍ବେ ଯାଅ ଶୀଘ୍ର ବେଢ଼ି ।

ଅଭିମନ୍ୟୁ

-

ପୃଷ୍ଠଭଙ୍ଗ ଦେଇ ରଣୁ ପୁଣି ଆସ ଲଢ଼ି ।।

 

 

[ଯୁଦ୍ଧ - ପରାସ୍ତ - ପୁଣି ପ୍ରବେଶ]

କର୍ଣ୍ଣ

-

ଏଥର ଆମ୍ଭର କରୁଁ ନାହିଁ ରେ ନିସ୍ତାର ।

ଅଭିମନ୍ୟୁ

-

ସାରଥିର ସୁତ ନୁହେଁ, ହୋଇବି କାତର । (ଯୁଦ୍ଧ)

 

 

[ସମସ୍ତଙ୍କର ପାଳୟନ]

 

(ଅଭିମନ୍ୟୁର ଗୀତ)

[ଏତିକି ମାଗୁଛି ମାତର - ବୃତ୍ତେ]

 

ଜଣାଗଲାଣି ସବୁ ରୀତି ।

ମୋତେ ଆଉ ନାହିଁ ଭଲ ଗତି ।ପଦ।

ଏକା କେତେବେଳ ବାଳକ ହୋଇ ମୁଁ ରଣରଙ୍ଗେ ଥିବି ମାତି ।

ବାର ବାର ହାରିଯାଉଛନ୍ତି ଘେରି ଆସି ଏ ସପତରଥୀ ।୧।

କୌରବଙ୍କ ଶରେ ରଥ ଅଶ୍ୱ ଗଜ ନିହତ ହେଲା ସାରଥି ।

ଗମଗମ ଝାଳ ଗଳିପଡ଼େ ଦେହୁ ଦମଦମ ହୁଏ ଛାତି ।୨।

ନାହିଁ ଜୀବ ଆଶା ଉଡ଼ିଯାଏ ହିଂସା ଅଙ୍ଗ ମୋ ଅବଶ ଅତି ।

ବହି ବୀରରକ୍ତ ଶତ୍ରୁବାଣେ ଭୀତ ନୋହିବ ବାସବନାତି ।୩।

କରୁ କରୁ ରଣ ତାଜିଲେ ପରାଣ ଏ ଖ୍ୟାତି ଘୋଷିବ କ୍ଷତି ।

ବଇଷ୍ଣବ ଭାଷି, କି ମନ୍ତ୍ରଣା ବସି କରୁଛନ୍ତି ପାପମତି ।୪।

 

(ସପ୍ତରଥୀଙ୍କର ପୁଣି ପ୍ରବେଶ । ଦୁର୍ଯ୍ୟୋଧନର ଗୀତ)

[ଆଜି ବନମାଳୀ ଯା ମୁଁ ପଡ଼ିଗଲି - ବୃତ୍ତେ]

 

ସଜହୁଅ ବୀରମଣି, ଯିବୁ ଏହିକ୍ଷଣି ଯମପୁରକୁ ।

କହି ଆହା ଆହା କାନ୍ଦୁଥିବ ମାଆ କଚାଡ଼ିଣ ତାର ମୁଣ୍ଡେ କରକୁ ।ପଦ।

ଆଜି ରାଣ୍ଡ ହେବ ବରିଟନନ୍ଦନୀ ନେତ୍ରୁ ଗଡ଼ାଇବ ନୀରଧାରକୁ ।

କଳିପଡ଼ିଯିବ କନକ ବରନ କାଳକ ସହିବ କାମଜ୍ୱରକୁ ।୧।

ସୁତ ସୁତ କହି କାନ୍ଦିବ ବିଜୟୀ ଯାଇଛି ଏକ୍ଷଣି ବହୁଦୂରକୁ ।

ଅରଜିଲୁ ବଳେ ଝାସି କୁରୁବଳେ ନିଜେ ନିଜ ଗଳେ ଦେଲୁ ଖରକୁ ।୨।

ତୋର ଧନୁର୍ଗୁଣ ଛିନ୍ନହୋଲା ଜାଣ କାହିଁରେ ମରିବୁ ଯୋଚି ଶରକୁ ।

କିପାଁ ଅସି ଖଣ୍ଡ କରୁ ଲଣ୍ଡଭଣ୍ଡ ଫିଙ୍ଗିଦେଇ ଚିନ୍ତ ଇଷ୍ଟ ଗୁରୁକୁ ।

ବିନ୍ଧି ବୀରେ ବାଣ କରିବା ନିଶାଣ ବେଗେ କାଟ ଏହି ଦୁଷ୍ଟ ଶିରକୁ ।

ବଇଷ୍ଣବ କହି ଆଉ ବେଳ ନାହିଁ ମାରୁଅଛି କାଳ ଆଖିଠାରକୁ ।୫।

 

ଅଭିମନ୍ୟୁ

-

ଭୀରୁ ନୁହେ ଅର୍ଜୁନନନ୍ଦନ; ପଳାଇବ ପୃଷ୍ଠଭଙ୍ଗ ଦେଇ ରଣସ୍ଥଳୁ; ନୁହେଁ ଏହା କ୍ଷତ୍ରିୟଙ୍କ ଧର୍ମ । ଦେହେ ଏକ ବିନ୍ଦୁ ରକ୍ତ ଥିବାଯାଏ ପଳାଇ ନ ଯିବି ରଣ ତେଜି-। ଗଲେ ପ୍ରାଣ ରଣଭୁମେ କରିବି ଶୟନ, ସାର୍ଥକ ହେବ ଏ ଦେହ ଏ ଦେହ ମୋର ।

 

(ଯୁଦ୍ଧ - ଅସି ପତନ ଓ ଶୋକ)

[ଆଜ୍ଞା ଦିଅ ଭୋଜରାଜ-ବୃତ୍ତେ]

 

କେଣେ ଅଛି ଦିଅ ଦେଖା ପିତଃ ଆସି ସୁତେ ତୋର ।

ଅନ୍ୟାୟ ଯୁଦ୍ଧେ ନାଶିଲେ କୁରୁକୁଳ କୁଳାଙ୍ଗାର ।ପଦ।

ଜ୍ୟେଷ୍ଠତାତ ଦେଖ ଆସି, ଆଜି ତବ ପୂର୍ଣ୍ଣଶଶୀ ।

ଗ୍ରାସିଛନ୍ତି ସପ୍ତରଥୀ ହୋଇ ରାହୁ ଅବତାର ।୧।

ଆହା ମାତ ଅଛି କାହିଁ, ଆସି ଥରେ ଯାଅ ଚାହିଁ ।

ଆଝୁଁ ତବ କୋଳୁ ମୁହିଁ ଯାଉଛି ହୋଇ ଅନ୍ତର ।୨।

ହା ମଧ୍ୟମତାତ ଭୀମ, ନିରଖେ ଦୁର୍ଗତି ମମ ।

ରେ ପ୍ରାଣପ୍ରିୟା ଉତ୍ତରା ନ ହେବୁ କେଭେଁ କାତର ।୩।

ଆସିବାର ବେଳେ କେତେ, ମନା କରୁଥିଲୁ ମୋତେ ।

ଭୁଳି ରହିବୁ କେମନ୍ତେ ମନମୋହନ ମନ୍ତର ।୪।

ହା ମାତୁଳ ରାଧାକାନ୍ତ, ତୁମ୍ଭେ ଥାଉ ହେଲି ହତ ।

ବଇ ବୋଲେ, ଗୋପିନାଥ ଜାଣୁ ବାହାର ଭିତର ।୫।

 

 

 

ଅଭିମନ୍ୟୁ

-

କୁରୁପତି, ମୁଁ ପ୍ରାଣଭିକ୍ଷା କରୁ ନାହିଁ, ଖଣ୍ଡେ ଅସ୍ତ୍ରଭିକ୍ଷା କରୁଅଛି, ଖଣ୍ଡେ ମୋତେ ଅସ୍ତ୍ର ଦିଅ, ପରେ ମୋ ସଙ୍ଗେ ଯୁଦ୍ଧ କର, ଅନ୍ୟାୟ କରନା, ଅଧର୍ମ କରନା, ଏତେ ଅନ୍ୟାୟ ଧର୍ମ କେଭେ ସହିବ ନାହିଁ ।

ଦୁର୍ଯ୍ୟୋଧନ

-

ଶତ୍ରୁନାଶରେ ପୁଣି ଅନ୍ୟାୟ ନ୍ୟାୟ କଅଣ ? ଶତ୍ରୁକୁ ଯେପରି ହେଉ ବିନାଶ କରିବା କର୍ତ୍ତବ୍ୟ ।

କର୍ଣ୍ଣ

-

ତୁ ମୋର ପରମଶତ୍ରୁ ଅର୍ଜୁନସୁତ ! ତୋତେ ଅସ୍ତ୍ର ଦେଇ ବିପଦର ମାତ୍ରା ବଢ଼ାଇବି ଏବେ ମରିବାକୁ ପ୍ରସ୍ତୁତ ହୁଅ ।

ଅଭିମନ୍ୟୁ

-

ହା ମାତ ! ହୋ ମା’ଗୋ; ଆସିଲାବେଳେ ତୁମ୍ଭେ ମୋତେ ମନାକରୁଥିଲ । ତୁମ୍ଭର କଥା ମାନିଲି ନାହିଁ; ତା’ର କଣ ଏହି ଫଳ ଫଳିଲା, ମା’ଗୋ ! ତୁମ୍ଭେ ତୁମ୍ଭର ସନ୍ତାନଟିକି ଆଉ ଦେଖିପାରିବ ନାହିଁ । ପିତଃ ! ତୁମ୍ଭେ ଏତେବେଳେ କେଉଁଠାରେ, ତୁମ୍ଭର ଅଭିମନ୍ୟୁର ଅବସ୍ଥା ଥରେ ନେତ୍ରପଥରେ ଆସି ଦେଖିଯାଅ । ହା ଜ୍ୟେଷ୍ଠତାତ; ହା ମଧ୍ୟମତାତ ଭୀମ, ତୁମ୍ଭର ଅଭିମନ୍ୟୁ ଅନ୍ୟାୟ ରଣରେ ଚକ୍ରବ୍ୟୂୟରେ କୌରବଙ୍କ ବାଣରେ ମରୁଛି; ଦେଖିଯାଅ । ହା ବାସୁଦେବ, ତୁମ୍ଭ ଭଣଜାର ଏହି ଶୋଚନୀୟ ଅବସ୍ଥା ଦେଖ । ହାୟ ପ୍ରାଣପ୍ରିୟା ଉତ୍ତରା, ଆଜିଠାରୁ ତୋର ଆଶା ଭରସା ବୁଡ଼ିଲା । ଆତ୍ମହତ୍ୟା କରିବୁ ନାହିଁ; ତୋର ଗର୍ଭରେ ସନ୍ତାନ ଅଛି । କୌରବମାନେ ଏ ପାପର ଫଳ ନିଶ୍ଚେ ପାଇବେ । ମୃତ୍ୟୁ କରାଳ ମୁଖ ବିସ୍ତାରି ଧାଇଁଛି, ଦେଖେଁ ଯେବେ ଏତେବେଳେ ଗୋଟିଏ ଶତ୍ରୁକୁ ପ୍ରାଣରେ ମାରିପାରେ । (ଉଠି ପୁଣି ପତନ) ନା, ଆଉ ଚେଷ୍ଟା କରିବା ବୃଥା । (ଗଦାହସ୍ତେ ଦୁଃଶାସନର ପ୍ରବେଶ)

ଦୁଃଶାସନ

-

ରେ ଅଭିମନ୍ୟୁ ! ଏହି ଗଦାରେ ଯମଭୁବନକୁ ଗମନ କର । (ଗଦା ପ୍ରହାର)

ଅଭିମନ୍ୟୁ

-

ମା, ମା, ମା, କଣ୍ଠ ଶୁଖିଗଲା..... ପାଣି ପାଣି ପାଣି ପାଣି । (ମୃତ୍ୟୁ ଓ କୌରବଙ୍କ ଜୟନାଦ)

 

(ଭୀମ ଓ ଯୁଧିଷ୍ଠିରର ପ୍ରବେଶ)

[ଜୟ ଜନାର୍ଦ୍ଦନ ଜଗତଜୀବନ- ବୃତ୍ତେ]

 

ବୀର ଜୟଦ୍ରଥ ଯୋଡ଼ୁଅଛି ହାତ ଛାଡ଼ ଦ୍ୱାର ଆଡ଼ ହୁଅ ।

ଧାରୁଛି ଚରଣ ଆହେ ସିନ୍ଧୁରାଣ ଦେଖିବୁ ପୁଅର ମୁହଁ ।ଘୋଷା।

ପରିହର ରୋଷ ରଣେ ଆଶ ନ ବଳାଅ ।

ଏ ଆମ୍ଭ ଗୁହାରି ଶୁଣ କର୍ଣ୍ଣ ଡେରି ଫେରି ଯା ବୋଲି ନ କହ ।୧।

ସେ କି ଜାଣେ ରଣ କଳ କଉଶଳ ସହଜେ ବାଳକ ଦେହେ ।

ଦ୍ରୋଣ ବାଣଜ୍ୱାଳା ସହିବ ସେ କାହୁଁ ହେବନି ପ୍ରାଣ-ସନ୍ଦେହ ।୨।

କ୍ଷୁଧାନଳେ ଜଳି ପଡ଼ିଯିବ କାଳି ଆକୁଳେ ତେଜିବ ଲୁହ ।

ଏତେମତେ ଚିତ୍ତେ ଦୟା ତୋ ନୋହିଲା ଏଡ଼େ ନିର୍ଦ୍ଦୟ ହୃଦୟ ।୩।

ଦିଅ ପୁତ୍ରଦାନ ହେ ସିନ୍ଧୁନନ୍ଦନ ମାନୁଅଛୁ ପରାଜୟ ।

ବଇଷ୍ଣବ ଭଣେ, କାର୍ଯ୍ୟ ନାହିଁ ରଣେ ଯାହା କହିବାର କହ ।୪।

 

(ଜୟଦ୍ରଥର ଯୁଧିଷ୍ଠିରଙ୍କୁ ଧିକ୍କାର)

[ତାଙ୍କୁ ଯା ଯା ବୋଲି କହି ଦେ-ବୃତ୍ତେ]

 

ଯା ଯା ରେ ଜାରଜାତକା ।

ଥାଉ ତୁମ୍ଭର ନେହୁରା ଆଉ ଏଣିକି ନ ତକା ।ପଦ।

ପୁଣି ରେ ଚାରିଭାଇ ଶୁଣି ଆସିଛ ଧାଇଁ;

ଫେରାଇ ନେଇ ସୁତକୁ ବାନ୍ଧିବ ଜୟ-ପତାକା ।୧।

ଏବେ ସେ ଆଶା ଛାଡ଼, ବାରୁଣାକୁ ବାହୁଡ଼;

ପରଲୋକରେ ପାଇବ ଯାଇ ଅଭିମନ୍ୟୁ ଦେଖା ।୨।

ରଣରୁ ଫେରି ପାର୍ଥ, ଶୁଣିଲେ ଏ ଚରିତ;

ଗୁଣି ଗୁଣି ପୁତ୍ରମଣି ରହିଯିବ ହୋଇ ଥକା ।୩।

ଉତ୍ତରାକରୁ ଚୁଡ଼ି, ଯାଇଁ ରେ ଦିଅ କାଢ଼ି;

ଯୁଦ୍ଧ ଶେଷେ ଶୁଦ୍ଧ ହେବ ବଇଷ୍ଣବ ବୋଲେ ବକା ।୪।

 

ଯୁଧିଷ୍ଠିର

-

ହା ବତ୍ସ ! ମୁଁ ତୋତେ ହରାଇବସିଲି; ଆଉ କି ତୁ ପ୍ରାଣରେ ଥିବୁ ! ଏ ଯେ ଜୟଧ୍ୱନି ଏ ଆମ୍ଭର ବିପଦର କାରଣ । ଭାଇ ଭୀମ ! ମୁଁ କଣ କରୁ କରୁ କଣ କଲି ? ମୁଁ ସୁତକୁ ଜାଣୁ ଜାଣୁ ମରାଇଲି । ଜୟଦ୍ରଥର ଏ ପାପର ପ୍ରାୟଶ୍ଚିତ୍ତ ଦିନେ ନିଶ୍ଚୟ ହେବ । ଭାଇ ଅର୍ଜୁନ ଆସିଲେ ମୁଁ ତାକୁ କଣ କହିବି ? ସେ ଯେତେବେଳେ ଅଭିମନ୍ୟୁ କାହିଁ ବୋଲି ଖୋଜିବ; ହାୟ ମୁଁ ନ ମଲି କାହିଁକି ? ଚାଲ ଭାଇ, ବାରୁଣାକୁ ଫେରିଯିବା ଚାଲ ।

 

 

(ସମସ୍ତଙ୍କର ପ୍ରସ୍ଥାନ)

 

(କୃଷ୍ଣ ଅର୍ଜୁନଙ୍କର ପ୍ରବେଶ । ଅର୍ଜୁନର କୃଷ୍ଣପ୍ରତି ଗୀତ)

[ମନେପଡ଼ୁଛି ମୋ ସେହି ଚନ୍ଦ୍ରମୁଖ-ବୃତ୍ତେ]

 

ଫେଡ଼ି କହ ସଖା

ଏତେ ଅମଙ୍ଗଳ କିପାଁ ଯାଏ ଦେଖ ।ପଦ।

ଦିବସେ କିପାଁ କୁହୁଡ଼ି ଚାହୁଁ ଚାହୁଁ ଆସେ ମାଡ଼ି ହେ ।

ଗୃଧ୍ରପକ୍ଷୀ ଊର୍ଦ୍ଧ୍ୱଦେଶେ ଦେଉଅଛି ଚକା ।୧।

କାଳଫଣୀ ଫଣା ଟେକି ଗରଜେ ପଥେ କାହିଁକି ହେ ।

ବେନି ପାଶେ ରାବନ୍ତି ଶୃଗାଳ ମୁକା ମୁକା ।୨।

ପୁଣି ବାମ ନେତ୍ରକୋଣ ସ୍ଫୁରେ କିପାଁ ନାରାୟଣ ହେ ।

କ୍ଷଣେ କ୍ଷଣେ ନାଚିଉଠେ ମୋର ବାମପାଖ ।୩।

ଏତେ ଅମଙ୍ଗଳ ଭାଇ, ଦିନେ ମୁହିଁ ଦେଖିନାହିଁ ହେ ।

ବଇଷ୍ଣବ କହି ମୋତେ ଲାଗଇ ଆଶଙ୍କା ।୪।

 

କୃଷ୍ଣ

-

ଭାଇ ପାର୍ଥ, ଯଦି ବିଘ୍ନ ଘଟିଥିବ ପାଣ୍ଡବପକ୍ଷରେ, ଜଣାଯିବ ଏହିକ୍ଷଣି; ସବୁ ହେଲାଣି ତ ନଗର ତୋରଣେ; ଦେଖ ଭାଇମାନେ ତୋର ଅଶ୍ରୁପୂର୍ଣ୍ଣନେତ୍ରେ ଛାଡ଼ିହୋଇଅଛନ୍ତି କିପାଁ ? ପଚାର ଭାଇମାନଙ୍କୁ ଏହାର କାରଣ ।

 

(ଅର୍ଜୁନର ଗୀତ)

[ଓ ହେ ପ୍ରାଣପତି କରି ଏଇ ବିନତି - ବୃତ୍ତେ]

 

ହେ ଅଗ୍ରଜ ଆଜ କିପାଇଁ ରହିଅଛି ସର୍ବେ ମଉନ ହୋଇ

ନୀରଜନୟନୁ ନୀରଧାର ଯାଉଅଛି ବହି ହେ ।ପଦ।

କୁରୁରାଜ ଦୁର୍ଯ୍ୟୋଧନ ଦେଲା କିସ ଅପମାନ ମୋତେ କହ

ବହନ; ଚାହିଁଲେ ଭାଇମାନଙ୍କୁ ହୃଦୟ ହୁଅଇ ଦହି ।୨।

କିପାଁ ନଅର ଭିତରେ ଅବଳାକୁଳ କାତରେ କରୁଛନ୍ତି କ୍ରନ୍ଦନ,

ଭାଇ ବୃକୋଦର ମୋର ଅଭିମନ୍ୟୁ ଅଛି କାହିଁ ?

ଡାକି ଡାକି ବାପା ବାପା ଧାଇଁ ଆସୁନାହିଁ କିପାଁ ।

କିବା ଯାଇଛି ଖେଳି,

ଅଳି କରନ୍ତା ପାଖରେ କାଖେ କାଖ ହେବାପାଇଁ ।୩।

ଫିଟୁନାହିଁ କାହା ତୁଣ୍ଡ;

କେଶବ ଏ କିସ କାଣ୍ଡ,

ମୁଣ୍ଡ ଭ୍ରମିଯାଉଛି,

ବଇଷ୍ଣବ ଭାଷେ ମୋତେ କିସ ବୁଦ୍ଧି ନ ଦିଶଇ ।୪।

 

(ଭୀମର ଉତ୍ତର)

[ଆଜି ଚାଣ୍ଡାଳ ଗାଳିଦେବ - ବୃତ୍ତେ]

 

କି କହିବି ମୁହିଁ ତୋତେ ପାର୍ଥ ରେ; ସେ ଚରିତ ରେ ।

ଯାହା କଲା ପାପିଷ୍ଠ ଜୟଦ୍ରଥ ରେ ।ଘୋଷା।

ପାଣ୍ଡବ ଆଶା-ତରଣି,

ବୁଡ଼ାଇଲା ସିନ୍ଧୁମଣି ବୁହାଇଣ ନିର୍ଦ୍ଦୟ ମରୁତ ରେ ।୧।

ଏଡ଼େ ପାଷାଣ ତା ହିଆ;

ତିଳେନାହିଁ ଦୟାମାୟା, ଅଟେ କୁରୁକୁଳର କୃତାନ୍ତ ରେ ।୨।

ମୂଳରୁ ହାଣିଲା ତରୁ, ସର୍ବେ ମନା କରୁ କରୁ,

ରକ୍ଷା କରି ଚକ୍ରବ୍ୟୂହ ପଥ ରେ ।୩।

ବଇଷ୍ଣବ ରସେ କହି, ଗଲୁ ଆମ୍ଭେ ଚାରିଭାଇ,

ସମସ୍ତଙ୍କୁ କରିଲା ପରାସ୍ତ ରେ ।୪।

 

ଅର୍ଜ୍ଜୁନ

-

ହା ପୁତ୍ର ଅଭିମନ୍ୟୁ ! (ପତନ)

 

(କୃଷ୍ଣଙ୍କର ପ୍ରବୋଧନା)

[ଆହା କୁମୁଦିନୀ କେଡ଼େ ସୁନ୍ଦରୀ- ବୃତ୍ତେ]

 

ସଖା ଉଠ ଉଠ ଆଉ କାନ୍ଦନା ।

ବୀରଧର୍ମ କର ପାଳନା ।

ଆଉ ନିଜ କରମକୁ ନିନ୍ଦନା,

ମର୍ତ୍ତ୍ୟେ କେ ନୋହି ଅମର ।ଘୋଷ।।

ଧର ଗାଣ୍ଡୀବଧନୁ ଖାଣ୍ଡବଦାହି ପ୍ରଚଣ୍ଡ ତେଜେ ବିନାଶ ମୂଢେ ।

ତାକୁ କେମନ୍ତେ ଦ୍ରୋଣ କରିବ ତ୍ରାଣ ତାର ସାହସ କେଡ଼େ ।

କରି ପ୍ରତିଜ୍ଞା କୁରୁ ସମରେ ପଶ,

ଦୁରାଚାର ଜୟଦ୍ରଥେ ପ୍ରାଣେ ନାଶ,

ରଖ କ୍ଷତିରେ ଖ୍ୟାତି ଅଶେଷ,

(ଆଉ) ନ ଫେରିବ କୁମର ତୋର ।୧।

କେଡ଼େ ଦାରୁଣ ଶିଶୁ ପରାଣ

ରହେ ନାଶିଲେ ଦୁଷ୍ଟ କୌରବ ବଳେ ।

ତେଜି ମମତା ନିଜ କ୍ଷମତା ପରକାଶିଲେ ଏକାବେଳେ ।

ଯେବେ କ୍ଷତ୍ରିୟ ରକତ ଥିବୁ ପାଇ;

 

ପୁତ୍ରହନ୍ତା ପ୍ରତିଶୋଧ ନେବୁ ତୁହି,

ଉଠ ବେଳ ଯାଉଅଛି ବହି, ବିପ୍ର ବଇଷ୍ଣବର ଗିର ।୨।

 

(ଅର୍ଜୁନ ଚେତନା ପାଇ ପ୍ରତିଜ୍ଞା କରିବା)

[ଯେଉଁ ହରି ହରି ପକାଉଛୁ ହୁରି-ବୃତ୍ତେ]

 

ଆହା ଅଭିମନ୍ୟୁ ଭୁଲିବି କି ମନୁ ପିଣ୍ଡେ ପ୍ରାର ଥାଉଁ ତୋତେ ।

ଆହା ବତ୍ସ ରେ ।

ଦୁଷ୍ଟ ଜୟଦ୍ରଥ ଦେଲୁ ଏଡ଼େ କଷ୍ଟ ଅନ୍ୟାୟେ ବିନାଶି ସୁତେ ।

ଆରେ ପାମର ।୧।

ରେ ପାଷାଣ୍ଡ ତୋର ପରିତ୍ରାଣ ଅର୍ଜୁନ ବାଣମୁଖରୁ ।

ଦୁଷ୍ଟ ଜାଣିଥା ।

କାଲି କେଉଁଠାରେ ଲୁଚାଇବ ନେଇ ଦେଖିବି ସେ ଦ୍ରୋଣଗୁରୁ ।

ଦୁଷ୍ଟ ଦେଖିବୁ ।୨।

ଆହେ ପଦ୍ମଆକ୍ଷି ଥାଅ ତୁମ୍ଭେ ସାକ୍ଷୀ ଛୁଉଁଛି ଗାଣ୍ଡିବଧନୁ ।

ହରି ଦେଖ ହେ ।

କାଲି ଜୟଦ୍ରଥେ ଜୀବନେ ନାଶିବି ଅସ୍ତ ନହେଉଣୁ ଭାନୁ ।

ହରି ଶୁଣ ହେ ।୩।

ବ୍ରହ୍ମା, ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର ନର ନାଗକୁଳ ଯେତେ ।

ସର୍ବେ ଶୁଣିଥାଅ ।୪।

ଛୁଇଁ ତୋର ପାଦ କହୁଛି ଗୋବିନ୍ଦ ଜୟଦ୍ରଥ ପ୍ରାଣ ନେବି ।

ନ ମାରିପାରିଲେ ସୂର୍ଯ୍ୟସ୍ତପୂର୍ବରୁ ନିଜେ ଅନଳେ ପଶିବି ।

ହରି ଶୁଣ ହେ ।୫।

ର୍ଭୂଭୂବଲୋକେ ସ୍ଵର୍ଗଲୋକେ ମହାଲୋକେ ଲୁଚିଲେ ଛାଡ଼ିବ ନାହିଁ ।

ଆରେ ନାରକି ! ଜଳେ ସ୍ଥଳେ ଅନଳେ କି ଆଖଣ୍ଡଳେ ଠାବ ନ ପାଇବୁ କାହିଁ ।

ଆରେ ନାରକି ।୬।

ଛେଦିଲେ ତୋ ଶିର ପୁତ୍ରଶୋକ ମୋର ଦୂର ହୋଇଯିବ ଜାର !

ଅଭିମନ୍ୟୁବଧ ପଦ ଶେଷ ଏଥୁ ଭଣେ ବୈଷ୍ଣବ ଚରଣ ।

ଜନେ ଶୁଣିଥା ।୭।

(ସମସ୍ତଙ୍କର ପ୍ରସ୍ଥାନ)

Image